କେବେ କେବେ ଖୋଜୁଥାଏ ମୁଁ
ମୋର ଆଉ ତାର ଭିତରେ ଫରକ୍
କାରଣ ମୋତେ ଜାଣିବା ଦିନଠୁ ଶୁଣିଥିଲି
ମୁଁ କୁଆଡ଼େ ଅବିକଳ ଏକ ବିଗ୍ରହ
ଠିକ୍ ଦେବୀ ପରି ।
ପୃଥିବୀର ବୋଝ ପାଇଁ ମୋର ଆବିର୍ଭାବ
ପୃଥିବୀ ହୋଇ ଠିଆ ହେବା ହିଁ ମୋର ସଂଘର୍ଷ
ତାପରି ଫାଟିବା ହିଁ ନିୟତିର ନିର୍ଦ୍ଦେଶ ।
ସବୁକିଛି ମୋର ବୋଲି
କୋଟିକୋଟି କଙ୍କାଳ କୁ ପୁଙ୍ଗୁଳା ପିଠିରେ ନାଉକରି
ଯେତେବେଳେ ରକ୍ତାକ୍ତ ପାଦରେ
ବାଟ ଫୁଙ୍କିଫୁଙ୍କି ଚାଲିବାକୁ ପଡେ
ଠିକ୍ ସେତେବେଳେ
ଦଶଭୁଜରେ ଆୟୁଧ ସବୁ
ଆପେଆପେ ଖଞ୍ଜି ହୋଇପଡେ ।
ରିକ୍ତ ହସ୍ତରେ ଏବେ
ପରାଧ୍ୟେ ଆୟୁଧ
ବକ୍ଷରେ କୋଟି ବ୍ରହ୍ମାଣ୍ଡ
ଆଖିରେ ସ୍ଵପ୍ନର ଆଖିଏ କଜ୍ଵଳ
ଆଉ ପାଦରେ
ଯୋଜନେ ରକ୍ତିମ ପଥର ଆମନ୍ତ୍ରଣ ।
ତୋ ଆବାହନ ପାଇଁ
ବୀଜମନ୍ତ୍ରର ଆବାହିକା ମୁଁ
ଆବାହନ ସ୍ରଷ୍ଟା ଆଉ ସୃଷ୍ଟିର
ଆଉ ଏସବୁରେ ପର୍ଯ୍ୟାୟକ୍ରମେ ଘୁରିବୁଲି
ଜଡ଼ ଆଉ ଜୀବନର ଚକ୍ରବ୍ୟୁହରେ
ଛନ୍ଦି ହୋଇଥିବା
ଅମିମାଂସୀତ ଅଧ୍ୟାୟଟିଏ ମୁଁ
ମୁଁ ଦେବୀ ।